ଆଜିଠୁ ସଂସଦର ମୌସୁମୀ ଅଧିବେଶନ:’ଅପରେସନ୍ ସିନ୍ଦୂର’ଠାରୁ ଆରମ୍ଭ କରି ଟାରିଫ ପ୍ରସଙ୍ଗ ନେଇ ସରଗରମ ହେବ ରାଜନୀତି

ଚଳିତ ବର୍ଷର ମୌସୁମୀ ଅଧିବେଶନ ଆଜି ଅର୍ଥାତ୍ ୨୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଯୋଗୁଁ ଏହି ମୌସୁମୀ ଅଧିବେଶନ ଅଗଷ୍ଟ ୧୨ରୁ ୧୮ ଅଗଷ୍ଟକୁ ସ୍ଥଗିତ ରଖାଯିବ। ଏହି ଅଧିବେଶନ ପାଇଁ ସରକାର ଏବଂ ବିରୋଧୀ ଉଭୟ ପ୍ରସ୍ତୁତ। ଗୋଟିଏ ପଟେ, ଏହି ମୌସୁମୀ ଅଧିବେଶନରେ ସରକାରଙ୍କ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯାଇପାରେ। ଅନ୍ୟପଟେ ବିରୋଧୀ ଦଳ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି।

ବିରୋଧୀ ପକ୍ଷରୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଟ୍ରମ୍ପଙ୍କ ଅସ୍ତ୍ରବିରତି ଦାବି, ପହଲଗାମ ଆତଙ୍କବାଦୀ ଆକ୍ରମଣ, ବିହାରରେ SIR ଉପରେ ଆଲୋଚନା, ଅପରେସନ ସିନ୍ଦୁର ଏବଂ ବୈଦେଶିକ ନୀତି ଭଳି ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଯାଇପାରେ। ସୂଚାରୁରୂପେ ସଂସଦର ଉଭୟ ଗୃହ ଚଳାଇବା ପାଇଁ ଗତକାଲି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ କରିଥିଲେ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ବିଭିନ୍ନ ସହ ଦଳର ନେତା ଉପସ୍ଥିତ ଥିଲେ।

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଓ ‘ଅପରେସନ ସିନ୍ଦୂର’ ପରେ ଏହା ସଂସଦର ପ୍ରଥମ ଅଧିବେଶନ ହେବ। ବିରୋଧୀ ଦଳ, ବିଶେଷକରି କଂଗ୍ରେସ ଓ ଇଣ୍ଡିଆ ଗଠବନ୍ଧନ ଏହି ଅଧିବେଶନରେ ଅପରେସନ ସିନ୍ଦୂର ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ମଧ୍ୟସ୍ଥତା ଦାବି ଉପରେ ସରକାରଙ୍କୁ ପ୍ରଶ୍ନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅଧିବେଶନ ସମୟରେ ବିରୋଧୀ ଅପରେସନ ସିନ୍ଦୂର ନେଇ ସରକାରଙ୍କୁ ଜବାବ ମାଗିପାରିନ୍ତି । ଏହାଛଡ଼ା କଂଗ୍ରେସ ଓଡିଶାର ଗୋପାଳ ଗଣଦୁଷ୍କର୍ମ ଓ ବାଲେଶ୍ୱର ଫକୀରମୋହନ କଲେଜ ପ୍ରସଙ୍ଗ ଉଠାଇପାରେ । କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

Leave a Reply

Your email address will not be published. Required fields are marked *