ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡିଲା ଓଡ଼ିଶା ଡ୍ରାଇଭର ମହାସଂଘ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡିଲା ଓଡ଼ିଶା ଡ୍ରାଇଭର ମହାସଂଘ

ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ୭ ଦଫା ଦାବି ନେଇ ରାଜ୍ୟ ବ୍ୟାପୀ ଡ୍ରାଇଭର ମହାସଂଘ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି । ଓଡ଼ିଶା ଡ୍ରାଇଭର ମହାସଂଘ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ କରିବା ନେଇ ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଥିବା ବେଳେ ଆଜି ସକାଳୁ ସକାଳୁ ଏହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ରାଜ୍ୟରେ ଘରୋଇ ବସ୍ ଚଳାଚଳ ସେବା ପ୍ରାୟ ଠପ୍ ହୋଇଛି । ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ।ଜରୁରୀକାଳୀନ ସେବାର ଡ୍ରାଇଭରମାନଙ୍କୁ ଛାଡ଼ି, ବସ୍, ଟ୍ରକ୍ ଏବଂ ଅଟୋ-ରିକ୍ସା ସମେତ ଅନ୍ୟ ସମସ୍ତେ ଆଜିଠାରୁ ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ଯେଉଁଥିରେ ମୁଖ୍ୟତଃ ପୋଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ କରିଛି ଡ୍ରାଇଭର ମହାସଂଘ । ଏଥିସହିତ ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ପରେ ପରେ ଡ୍ରାଇଭରଙ୍କୁ ଭତ୍ତା, ୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ ଡ୍ରାଇଭର ଦିବସ ରୂପେ ଘୋଷଣା ଆଦି ୭ ଦାବି ନେଇ ବିକ୍ଷୋଭ ପଦର୍ଶନ କରୁଛି ଡ୍ରାଇଭର ସଂଘ ।

ସେପଟେ କିନ୍ତୁ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ, ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟବ୍ୟାପୀ ଷ୍ଟିଅରିଂ-ଛାଡ ପ୍ରତିବାଦକୁ ବିରୋଧ କରିଛି । କହିଛି ଯେ ଡ୍ରାଇଭରମାନଙ୍କର ୩୫ ଟି ଭିନ୍ନ ଭିନ୍ନ ସଂଘ ଥିବା ବେଳେ, କେବଳ ଓଡ଼ିଶା ଡ୍ରାଇଭର ମହାସଂଘ ଏହି ପ୍ରତିବାଦ ଡାକରା ଦେଇଛି, ଏହା ସେମାନଙ୍କର ନିଜସ୍ୱ ଲାଭ ପାଇଁ, ଏହା କେବଳ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏବଂ ଲୋକଙ୍କୁ ହଇରାଣ କରିବା ପାଇଁ କରୁଛି ବୋଲି ଅଭିଯୋଗ କରିଛି ସଡକ ପରିବହନ କର୍ମଚାରୀ ସଂଘ । ଏଥିସହିତ କୌଣସି ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ୱାର୍କର ସଂଘ ଆନ୍ଦୋଳନକୁ ସମର୍ଥନ କରୁନାହିଁ । ଯଦି ସରକାର ସୁରକ୍ଷା ଦେବେ ତେବେ ଯାନବାହନ ଚଳାଚଳ ସ୍ବାଭାବିକ ରହିବ ବୋଲି ସଂଘ କହିଛି ।

Leave a Reply

Your email address will not be published. Required fields are marked *