ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶାର ପ୍ରସ୍ତାବକୁ ବିଚାର କରିବାକୁ ଛତିଶଗଡ଼ ସରକାର ପ୍ରସ୍ତୁତ ଥିବା ଜଣାପଡ଼ିଛି।
୨୩ ଜୁଲାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଛତିଶଗଡ଼ ପ୍ରତିପକ୍ଷଙ୍କୁ ଚିଠି ଲେଖି କହିିଥିଲେ ଯେ କେନ୍ଦ୍ରର ସମର୍ଥନ ସହିତ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରାଯାଇପାରିବ। ଯାହାପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ସୌହାର୍ଦ୍ଦପୂର୍ଣ୍ଣ ଭାବରେ ମହାନଦୀ ଜଳ ବିବାଦର ସମାଧାନ କରାଯିବାକୁ ଉଦ୍ୟମ କରାଯାଉଛି।ଏହି ଘଟଣା ପରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଏହାର ଶୁଣାଣି ସେପ୍ଟେମ୍ବର ୬କୁ ସ୍ଥଗିତ ରଖିଥିଲେ। ତେବେ ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀ ସ୍ତରୀୟ ଅନୌପଚାରିକ ଆଲୋଚନା ହୋଇଥିଲା।