![]()
ଶେଷରେ ହାରିଗଲେ ବଳଙ୍ଗା ପୀଡ଼ିତା । 15 ଦିନ ଜୀବନ ସହ ସଂଘର୍ଷ ପରେ ଶନିବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଶରୀରର 70 ପ୍ରତିଶତରୁ ଅଧିକ ପୋଡ଼ିଯାଇଥିବାରୁ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ବିଶେଷଜ୍ଞ ଡାକ୍ତରମାନଙ୍କର ୧୪ ଜଣିଆ ଟିମ୍ ଅହୋରାତ୍ର ଚେଷ୍ଟା କରିବା ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ । ଶନିବାର ସଂଧ୍ୟା 6.22ରେ ତାଙ୍କର ମୃତ୍ୟୁ ଘଟିଛି ।
ଜୁଲାଇ 19 ତାରିଖ ସକାଳେ ପୁରୀ ଜିଲ୍ଲା ବାଇଆବର ନିକଟରୁ ପୀଡ଼ିତାଙ୍କୁ ରାସ୍ତା କଡ଼ରୁ 3 ଜଣ ଦୁର୍ବୃତ୍ତ ଉଠାଇ ନେଇ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପୀଡ଼ିତା ପାଖ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ପିପିଲି ହସ୍ପିଟାଲରେ ପହଞ୍ଚାଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।
ଏହି ଦୁଃଖଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ରାଜ୍ୟ ସରକାର ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିଲେ। ଦିଲ୍ଲୀ ଏମ୍ସରେ ବିଶେଷଜ୍ଞ ଡାକ୍ତରମାନେ ଅହୋରାତ୍ର ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରିଲା ନାହିଁ। ଏହି ଘଟଣାରେ ଜଡ଼ିତ ଅପରାଧୀମାନଙ୍କୁ ଦୃଢ଼ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।”
ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ଏହାର ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଏବଂ ୨୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ ଟ୍ରାକ କରାଯାଉଛି। ଘଟଣାସ୍ଥଳରୁ ଜବତ ହୋଇଥିବା କିରୋସିନ ତେଲ ବୋତଲ, ପୋଡ଼ା କପଡ଼ା ଓ ରୁପା ମୁଦିକୁ ନେଇ ମଧ୍ୟ ତଦନ୍ତ ଚାଲିଛି।