
ବାଲେଶ୍ଵର ଘଟଣା ମନରୁ ନଲିଭୁଣୁ ପୁଣି ଏକ ଘଟଣା ସମସ୍ତଙ୍କୁ ଚକ୍କିତକରିଛି । ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ୩ଜଣ ଦୁବୃତ୍ତ ପୋଡି ଦେଇଛନ୍ତି । ବାୟାବର ଗାଁର ଯୁକ୍ତ ୨ ଛାତ୍ରୀ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ୩ଜଣ ଯୁବକ ତାଙ୍କୁ ଅଟକାଇ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ଏହାପରେ ତାଙ୍କ ଦେହରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ବର୍ତ୍ତମାନ ପୀଡିତା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୀଡିତାଙ୍କୁ ଭେଟିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତା ଏମ୍ସରେ ପହଞ୍ଚିବା ପରେ ତାଙ୍କ ଶରରୀର ୭୦ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କୁ ଏମ୍ସ ଟ୍ରମା କେୟାରରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରୀ ଟିମ ପୀଡିତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ସେପଟେ ଘଟଣାସ୍ଥଳ ବାୟାବରଗାଁରେ ପୁରୀ ଏସପି ପିନାକ ମିଶ୍ର ପହଞ୍ଚି ସ୍ଥିତି ତଦନ୍ତ ଆରମ୍ବ କରିଛନ୍ତି । ସ୍ପେଶାଲ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି,ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ଥିବାରୁ ପୋଲିସ ଏହାକୁ ଗୁରୁତର ସହ ନେଇଛି ବୋଲି ସେ କହିଛନ୍ତି ।
ଏବେ ଯାଏଁ ଘଟଣାରେ କାହାରିକୁ ଅଟକ ରଖାଯାଇନି, କେବଳ ପଚରାଉଚରା ଜାରି ରଖିଛୁ ବୋଲି ପିନାକ ମିଶ୍ର ସୂଚନା ଦେଇଛନ୍ତି । ପୋଡିହେବା ବେଳେ ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ତାହା କଣ ଏଯାଏଁ ସ୍ପଷ୍ଟ ହୋଇନି ବୋଲି ସେ କହିଛନ୍ତି । କେଉଁ କାରଣରୁ ପୀଡିତାଙ୍କ ସହ ଏମିତି ହେଲା ଆଉ କିଏ ଏଥିରେ ମୁଖ୍ୟ ଅଭିଯୁକ୍ତ ତାହା ଖୁବଶୀଘ୍ର ଜଣାପଡିବ । ଆଉ ଘଟଣାରେ ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ୨ଟି ସ୍ପେଶାଲ ସ୍କାର୍ଡ ଓ ଫୋରେନସିକ ଟିମ ଘଟଣାସ୍ଥଳରେ ତଦନ୍ତ କରୁଛି ।ସେପଟେ ପୀଡିତାଙ୍କ ସହ ଏଭଳି ଘଟଣା ଘଟିବା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।