ଭୁବନେଶ୍ୱର: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣା । ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି । ପୋଲିସ ବିଭାଗରେ ଏହି ଦୁର୍ନୀତି ହୋଇଥିବା ବେଳେ ପୋଲିସ ବିଭାଗର ଏକ ଅଂଶ ଭାବେ ରହିଥିବା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ବିଜୁ ଜନତା ଦଳ କହିଛି ।
ଶଙ୍ଖ ଭବନରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡେଇ ଓ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶ୍ନବାଚୀ ହୋଇଛି ବୋଲି କହିଥିଲେ ।

ଘଡେଇ କହିଥିଲେ, ଏହି ନିଯୁକ୍ତି ପରୀକ୍ଷାକୁ କରିବା ପାଇଁ ପ୍ରାଥମିକ ଭାବେ ଆଇଟିଆଇ ସଂସ୍ଥାକୁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ, ଏହା ଦୁଇ ଦୁଇଟି ସଂସ୍ଥାକୁ ଆଉଟସୋର୍ସିଂ କରାଯାଇଥିଲା । ରାଜ୍ୟ ସରକାରଙ୍କ ଆଉଟସୋର୍ସିଂ ନୀତି ସ୍ପଷ୍ଟ ହେବା ଦରକାର । କାହା ନିର୍ଦ୍ଦେଶରେ ଏପରି ଏକ ଅନଭିଜ୍ଞ କମ୍ପାନୀକୁ ଆଉଟସୋର୍ସିଂ କରାଯାଇଥିଲା । ଏହି ଆଉଟସୋର୍ସିଂ ମାଧ୍ୟମରେ ଦୁର୍ନୀତି କରିବା ପାଇଁ ବାଟ ତିଆରି କରିଥିଲେ ରାଜ୍ୟ ସରକାର ।