ଆଜିଠୁ ବଢିବ ଦିନ ତାପମାତ୍ରା, ଆଗକୁ ଆହୁରି କଲବଲ କରିବ…

DNK LIVE NEWS- ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା । ୨ ରୁ ୩ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା। ଏହା ସହ ଆଗକୁ ରହିଛି ସୁପର ଏଲ୍‌ନିନୋ ଭୟ। ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୩୭.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିଭଳି ରାୟଗଡ଼ାରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

ସେପଟେ ଆଗାମୀ ୨୪ ଘଣ୍ଟାରେ ବର୍ଷା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅନ୍ୟପଟେ ଚଳିତ ବର୍ଷ ଭୟଙ୍କର ରୂପ ନେଇ ଆସୁଛି ସୁପର ଏଲ୍- ନିନୋ । ଜୁଲାଇରୁ ଦେଖାଇବ କୋପ। ସାଧାରଣ ବର୍ଷଠାରୁ ଏଥର ଏଲ୍-ନିନୋ ପ୍ରଭାବ ପ୍ରଚଣ୍ଡ ରହିପାରେ। ଯାହାକି ସୁପର ଏଲ୍‌ନିନୋ ବର୍ଷ ହୋଇପାରେ। ଫଳରେ ମୌସୁମୀ ଅନିୟମିତ ହେବ। ବିଶ୍ୱର ବିଭିନ୍ନ ପାଣିପାଗ ପୂର୍ବାନୁମାନ ସଂସ୍ଥାର ମଡେଲ୍ ଏଭଳି ଆକଳନ ଦେଖାଉଛନ୍ତି। ଆହୁରି ଏକ ଚିନ୍ତାର ବିଷୟ ହେଲା, ଏଲି – ନୋ ପ୍ରଭାବ ଆଗାମୀ ୨୦୨୭କୁ ମଧ୍ୟ ପ୍ରଭାବିତ କରିପାରେ । ଏମିତିକି ଆସନ୍ତା ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ସହ ବର୍ଷା କମିବା ଆଶଙ୍କା ରହିଛି । ୨୦୧୫ରେ ଏଲ୍-ନିନୋ ଯୋଗୁ ୨୦୧୬ରେ ସାଂଘାତିକ ପ୍ରଭାବ ଦେଖାଯାଇଥିଲା । ଚଳିତବର୍ଷ ମଧ୍ୟ ଖରା ଅଧିକ ରହିବା ସମ୍ଭାବନା ଅଛି ।

ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନ ତାପମାତ୍ରା ସ୍ୱାଭାବିକଠାରୁ ୦.୫ ଡିଗ୍ରୀ କମିଲେ, ତାହା ଲା-ନିନା ସ୍ଥିତି କୁହାଯାଏ । ସେପରି ଯଦି ଜଳପତ୍ତନ ତାପମାତ୍ରା ୦.୫ ଡିଗ୍ରୀ ବଢ଼ିଲେ, ତାହାକୁ ଏଲ୍ନିନୋ କୁହାଯାଏ । ଏହା ସାରା ବିଶ୍ୱର ପାଣିପାଗକୁ ପ୍ରଭାବିତ କରିଥାଏ । ସବୁ ଏଲ୍‌-ନିନୋ ବର୍ଷରେ ମୌସୁମୀ ବର୍ଷା ଅନିୟମିତ ହୋଇନଥାଏ, ମାତ୍ର ଅଧିକାଂଶ ଏଲ୍-ନିନୋ ବର୍ଷରେ ପ୍ରଭାବିତ ହୋଇଥାଏ ମୌସୁମୀ।।

 

Leave a Reply

Your email address will not be published. Required fields are marked *