DANDAKARANYA MEDIA (OPC) PRIVATE LTD.

ବାରିପଦା ଝିଅ ମାମାଲି କେମିତି ହେଲେ ମଲ୍ଲିକା, ତାଙ୍କ ଟ୍ୟାଲେଣ୍ଟକୁ ନେଇ ଚର୍ଚ୍ଚା

ଡାକ ନାଁ ମାମାଲି, ହେଲେ ମଲ୍ଲିକା ନାଁରେ ସେ ଘରେ ଘରେ ପରିଚିତ । ଓଡିଶା ଟେଲିଭିଜନ ଜଗତର ଜଣାଶୁଣା ନାଁ ସୁଶ୍ରୀ ପଦ୍ମଜା। ବାରିପଦାର ଯୁବ କଳାକାର ମାମାଲି ଅଭିନୟକୁ ନିଜ ଜୀବନର ବ୍ରତ କରିଛନ୍ତି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ବିଏଡ୍ କରିବା ପରେ ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏହାସହ ଗୁରୁ ସ୍ବର୍ଗତ ବନମାଳୀ ବେହେରାଙ୍କଠାରୁ ଓଡିଶୀ, ଶମ୍ଭୁନାଥ ଦାସଙ୍କଠାରୁ ଛଉ ଏବଂ ହୃଦୟାନନ୍ଦ ବାରିକଙ୍କଠାରୁ ଆଧୁନିକ ନୃତ୍ୟ ଶିଖିଛନ୍ତି ମାମାଲି । ସବୁବେଳେ ସେ ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । ବାପା ପ୍ରଭାସ ଶଙ୍କର ଲେଙ୍କାଙ୍କୁ ଖୁବ୍ କମ ବୟସରେ ହରାଇଥିଲେ । ମାଆ ମୀରା ଜେନା ତାଙ୍କ ଲାଳନ ପାଳନ କରିଛନ୍ତି ।

ମାମାଲିରୁ ମଲ୍ଲିକା, କେମିତି ଥିଲା ତାଙ୍କ ଯାତ୍ରା

ପଢାରେ ସବୁବେଳେ ଭଲ କରୁଥିଲେ ମାମାଲି । ୫ମ, ୭ମ ଏବଂ ୯ମ ଶ୍ରେଣୀରେ ଜାତୀୟ ଗ୍ରାମୀଣ ପ୍ରତିଭା ଛାତ୍ରବୃତ୍ତି ପାଇଥିଲେ। ଏହା ସହ ବିଭିନ୍ନ ବକ୍ତୃତା, ନିବନ୍ଧ-ଲେଖନ ପ୍ରତିଯୋଗିତାରେ ବି ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲେ। ଯୁକ୍ତ ୨ରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଲାପଟପ୍ ପୁରସ୍କାର ‌ମିଳିଥିଲା । ତେବେ ମାମାଲିଙ୍କ ନିଶା ଥିଲା ଅଭିନୟ। ଏଯାଏଁ ୨୫ରୁ ଅଧିକ ପ୍ରୋଡକ୍ସନ କମ୍ପାନୀ ସହ ସେ କାମ କରିସାରିଛନ୍ତି । “ମିରୁ” ନାମକ ଏକ ଡକ୍ୟୁମେଣ୍ଟରୀରେ ୯ ବର୍ଷ ବୟସରେ ପ୍ରଥମ ଥର ପାଇଁ କ୍ୟାମେରା ସାମନା କରିଥିଲେ ମାମାଲି । ଓଡିଆ ଟେଲିଭିଜନ୍ ସିରିଅଲ୍ “ଗାୟତ୍ରୀ”ରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଛୁଇଁଥିଲା । ସେହିପରି ‘ଲକ୍ଷ୍ୟ’ ଚ୍ୟାନେଲରେ ‘ଧରିତ୍ରୀ’ ଓ କାମୟାବ୍ ନ୍ୟୁଜ୍ ଚ୍ୟାନେଲରେ ମୟୁରଭଞ୍ଜ ଜିଲ୍ଲା ପାଇଁ ‘କୁନି ରିପୋର୍ଟର୍’ରେ ସେ କାମ କରିଥିଲେ। ସାନ୍ଥାଳି ଚଳଚ୍ଚିତ୍ର ‘ଜୁଇ ଜୁଇ’, ବଙ୍ଗାଳୀ ଚଳଚ୍ଚିତ୍ର ‘ଦ ଗେଷ୍ଟ ହାଉସ୍’ ଓ ଓଡିଆ ସ୍ୟାଟେଲାଇଟ୍ ଚଳଚ୍ଚିତ୍ର ‘ସାଥୀ ଖୋଜୁଛି ସାଥୀ’ରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି । ଓଡିଆ ଓ୍ବେବ୍ ସିରିଜ’ମୁଖ ରକ୍ତ ତୀର୍ଥ’ ସହ ଅନେକ ଆଲବମ ଗୀତରେ ଅଭିନୟ କରିଥିଲେ । ରାଉରକେଲା, ବାରିପଦା, କଟକ, ଭୁବନେଶ୍ବର ଏବଂ ଆନ୍ଧ୍ରପ୍ରଦେଶର ପ୍ରଶାନ୍ତିରେ ଅନେକ ନାଟକରେ ମୁଖ୍ୟ ଚରିତ୍ରରେ ନିଖୁଣ ଅଭିନୟ କରିଛନ୍ତି । ତେବେ ସିଦ୍ଧାର୍ଥ ଟିଭିର “ସିନ୍ଦୁର ଖେଳ”ରେ ମୁଖ୍ୟ ଖଳନାୟିକା ମଲ୍ଲିକା ଭୂମିକା ତାଙ୍କୁ ନୂଆ ପରିଚୟ ଦେଇଛି ।

Leave a Reply

Your email address will not be published. Required fields are marked *