DANDAKARANYA MEDIA (OPC) PRIVATE LTD.

ଦକ୍ଷିଣ ରେ ବଢ଼ିଲା ବର୍ଷାର ପରିମାଣ, ପାତ୍ରପୁର ରେ ଖସିଲା ପଥର, ଜନ ଜିବନ ଅସ୍ତବ୍ୟସ୍ତ

DNK LIVE NEWS- ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ପାତ୍ରପୁର ବ୍ଲକର ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବରେ ଜନଜୀବନ ଚିନ୍ତାଜନକ ହୋଇପଡ଼ିଛି। ତାଡ଼କା ସାହି-ଆଙ୍କୁଲି ରାସ୍ତାର ଚରିଆବାଡ଼ ନିକଟରେ ବୁଧବାର ସକାଳ ପ୍ରାୟ ୧୦ଟାରେ ପାହାଡ଼ରୁ ଏକ ବିରାଟ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିଲା। ଖବର ପାଇ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପଥର ହଟାଇବା କାର୍ଯ୍ୟ ଆରମ୍ଭ କରିଥିଲା।ପଥର ଖସିବା ଯୋଗୁଁ ଦୁର୍ଗମ ଆଙ୍କୁଲି ସମେତ ବୁରାତାଲ ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ଗ୍ରାମର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପୀତବାସ ନାୟକ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ସିଙ୍ଗାରୀ ବେରୁଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଜେସିବି ସହାୟତାରେ ପ୍ରାୟ ୬ ଘଣ୍ଟା ପରେ ପଥର ହଟାଇଥିଲେ।

 

ଗତକାଲି ସକାଳ ୬ଟାରୁ ଆଜି ସକାଳ ୬ଟା ମଧ୍ୟରେ ବାଘଲଟିରେ ୧୨୮ ମିମି ଏବଂ ପାତ୍ରପୁରରେ ୭୭.୬ ମିମି ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷା ଯୋଗୁଁ ବାଘଲଟି ଜଳଭଣ୍ଡାରର ଜଳସ୍ତର ୧୦୦ ମିଟର ଅତିକ୍ରମ କରିଛି। ଏହାସହ ଗୁଡ଼ିପଦର, ଜୟନ୍ତୀପୁର, ପାତ୍ରପୁର, ଖମ୍ବାରିଗାଁ, ବାଦପୁର, ଗୁଣ୍ଡୁରା, ଖାରିଆଗୁଡ଼ା ଆଦି ପଞ୍ଚାୟତର ବହୁ ଚାଷଜମି ଜଳମଗ୍ନ ହୋଇଛି। ଖାରିଆଗୁଡ଼ା, ତୁମ୍ବା, ପଦାଦିଗି, ମନ୍ଦରଡ଼ା, ସୁରଙ୍ଗୀ ସମେତ ପାହାଡ଼ିଆ ଅଞ୍ଚଳରେ ଚାଷ ହୋଇଥିବା ବିନ୍‌ସ, ବାଇଗଣ, କଖାରୁ, ଅଲଡ଼ି ଓ ଭେଣ୍ଡି ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।ଗତକାଲି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ସ୍ଥାନ ନିକଟରେ ଆଜି ପୁଣି ଏକ ଗଛ ଭାଙ୍ଗି ପଡ଼ିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲା। ବିଡିଓ ଲକ୍ଷ୍ମଣ ଚରଣ ସୋରେନ ପଥର ଖସିଥିବା ସ୍ଥାନରେ ପହଞ୍ଚି ସଫେଇ କାର୍ଯ୍ୟ ତଦାରଖ କରିବା ସହ ବିଭିନ୍ନ ପଞ୍ଚାୟତ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *