DANDAKARANYA MEDIA (OPC) PRIVATE LTD.

ଆସୁଛି ଆଉ ଏକ ଲଘୁଚାପ, ରବିବାର ଠୁ ସାରା ରାଜ୍ୟରେ ବର୍ଷା ନେଇ ସତର୍କତା ।

Dnk Live NEWS-  ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଗୋଟିଏ ଲଘୁଚାପର ପ୍ରଭାବ ରାଜ୍ୟରୁ ସମ୍ପୂର୍ଣ୍ଣ କମିନଥିବା ବେଳେ ଆଉ ଏକ ଲଘୁଚାପ ଦାନା ବାନ୍ଧିବା ଆରମ୍ଭ କଲାଣି। ଆସନ୍ତାକାଲି ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏକ ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି, ଯାହାକି ରବିବାର ସୁଦ୍ଧା ଏକ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ଏହି ନୂଆ ପାଣିପାଗ ପରିବର୍ତ୍ତନ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବ୍ୟାପକ ବର୍ଷା ଲାଗି ରହିବ। ବିଶେଷକରି ମହାପ୍ରଭୁଙ୍କ ନିଳାଦ୍ରି ବିଜେ ଭିତରେ ପୁରୀ ସମେତ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଏହି ଲଘୁଚାପଟି ସୃଷ୍ଟି ହେବା ପରେ କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଦେଇ ଅତିକ୍ରମ କରିବ, ଯାହା ଫଳରେ ଅନେକ ଅଞ୍ଚଳରେ ପ୍ରବଳ ବର୍ଷଣ ହେବ।

ଚଳିତ ବର୍ଷ ଜୁନ୍ ମାସରେ ସ୍ୱାଭାବିକ ଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଥିଲା, ଯାହା ଚାଷୀକୂଳ ପାଇଁ ଚିନ୍ତାର କାରଣ ପାଲଟିଥିଲା। କିନ୍ତୁ ଜୁଲାଇ ମାସରେ ମୌସୁମୀ ନିଜର ସକ୍ରିୟ ସ୍ୱରୂପ ଦେଖାଇଛି। ମାସକ ଭିତରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବା ଫଳରେ ଏଯାବତ୍ ରାଜ୍ୟରେ ସ୍ୱାଭାବିକ ଠାରୁ ୧୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇସାରିଲାଣି। ଏଲ୍-ନିନୋ ପ୍ରଭାବ ସତ୍ତ୍ୱେ ବଙ୍ଗୋପସାଗରରେ ଏଭଳି କ୍ରମାଗତ ଲଘୁଚାପ ସୃଷ୍ଟି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Leave a Reply

Your email address will not be published. Required fields are marked *