ବ୍ରହ୍ମପୁର: ଗାଡ଼ିରେ ଆସି ସିଧା ଗୁଳି କରି ଚାଲିଗଲେ । ଆଉ ସେଇଠି ହିଁ ଟଳିପଡିଲେ ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡା । ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ରକ୍ତରେ ଭିଜିଗଲା ପୁରା ରାସ୍ତା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ଆଖି ବୁଜି ସାରିଥିଲେ । ବ୍ରହ୍ମପୁର ସହର ବୈକୁଣ୍ଠ ନଗର ‘ମୋ କୁଡ଼ିଆ’ ହୋଟେଲ ପାଖରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ ।

ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଆକ୍ରମଣ କରିଛି ତାହା ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ପୀତବାସଙ୍କ ମୃତ୍ୟୁ ଖବର ପାଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଘାଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଯିଏ ଗୁଳି ମାରିଛି ତାକୁ ଛଡ଼ାଯିବନି । ଖୁବଶୀଘ୍ର ତଦନ୍ତ କରି ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ରାତି ପାଖାପାଖି ୧୦ଟା ବେଳେ ସ୍କୁଟିରେ ଘରକୁ ଫେରୁଥିଲେ ପୀତବାସ .. ଘର ପାଖରେ ପହଞ୍ଚିଲା ବେଳକୁ ଛକି ରହିଥିବା ଦୁର୍ବୃତ୍ତ ତାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରିଥିଲେ । ୨ ରାଉଣ୍ଡ ଗୁଳି ସିଧା ତାଙ୍କ ଛାତିରେ ବାଜିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପାଖାପାଖି ଅଞ୍ଚଳରେ ଲାଗିଥିବା ସିସିଟିଭି ଆଧାରରେ ପୁଲିସ ତଦନ୍ତ ଚଳାଇଛି ।