DANDAKARANYA MEDIA (OPC) PRIVATE LTD.

୫ ଦିନ ନୁହେଁ, ଏଥର ୪ ଦିନ ପଡୁଛି ପଞ୍ଚୁକ, ୨୪ ରେ ବୋଇତ ବନ୍ଦାଣ

DNKLIVE_ ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ମାସର ସମାପନ ପାଇଁ ସମଗ୍ର ଓଡ଼ିଶାରେ ଶ୍ରଦ୍ଧାଳୁମାନେ ପ୍ରସ୍ତୁତି ଚଳାଇଥିବା ବେଳେ ଚଳିତ ବର୍ଷର ‘ପଞ୍ଚୁକ’ ସମୟସୀମାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏକ ବିରଳ ‘ତିଥି କ୍ଷୟ’ କାରଣରୁ ଚଳିତ ବର୍ଷ ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ଚାରି ଦିନ ପାଳନ କରାଯିବ।ପଞ୍ଚୁକର ଅବଧି କମିଯାଇଥିଲେ ମଧ୍ୟ ପାଞ୍ଜି ବିଶେଷଜ୍ଞ ଏବଂ ଜ୍ୟୋତିଷମାନେ ସ୍ପଷ୍ଟ କରିଛନ୍ତି ଯେ ନଭେମ୍ବର ୨୪ ତାରିଖରେ ସମଗ୍ର ରାଜ୍ୟରେ ଏକକାଳୀନ ଭାବେ କାର୍ତ୍ତିକ ପୂର୍ଣ୍ଣିମା ଏବଂ ପାରମ୍ପରିକ ‘ବୋଇତ ବନ୍ଦାଣ’ ଉତ୍ସବ ପାଳନ କରାଯିବ।

ପରମ୍ପରା ଅନୁଯାୟୀ, ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପଞ୍ଚୁକ ପାଳନ କରାଯାଏ। ଯେଉଁଥିରେ ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଏବଂ ପୂର୍ଣ୍ଣିମା ଅନ୍ତର୍ଭୁକ୍ତ ଥାଏ। ତେବେ, ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତିପଥ ଏବଂ ସେମାନଙ୍କ ମଧ୍ୟରେ ଥିବା କୌଣିକ ଦୂରତାର ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଏକ ବିରଳ ‘ତିଥି କ୍ଷୟ’ ହୋଇଛି।

ନଭେମ୍ବର ୨୧ ତାରିଖ ସୂର୍ଯ୍ୟୋଦୟ ସମୟରେ ଏକାଦଶୀ ତିଥି ରହିବ ଏବଂ ସକାଳ ୬:୩୨ ମିନିଟରେ ଏହା ଶେଷ ହୋଇ ଦ୍ୱାଦଶୀ ତିଥି ଆରମ୍ଭ ହେବ। ହିନ୍ଦୁ ପାଞ୍ଜି ଗଣନା ଅନୁଯାୟୀ, ନଭେମ୍ବର ୨୨ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ, ଅର୍ଥାତ୍ ଭୋର ୪:୫୭ ମିନିଟରେ ଦ୍ୱାଦଶୀ ତିଥି ସମାପ୍ତ ହୋଇଯିବ। ଫଳସ୍ୱରୂପ ସେହି ଦିନ ସୂର୍ଯ୍ୟୋଦୟ ସମୟରେ ତ୍ରୟୋଦଶୀ ତିଥି ଚାଲୁ ରହିବ।

Leave a Reply

Your email address will not be published. Required fields are marked *