DANDAKARANYA MEDIA (OPC) PRIVATE LTD.

ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଟିମ୍ ଇଣ୍ଡିଆର ଆଶଙ୍କା ବଢିଲା, ବାଜିରେ କୋଚ୍ ଗୌତମ ଗମ୍ଭିରଙ୍କ ଗାଦି

DNKLIVE _ ୱେଲିଂଟନ୍: ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଅସଲ ଅଗ୍ନିପରୀକ୍ଷା ପାଇଁ ପ୍ରସ୍ତୁତ । ନଭେମ୍ବର ୧୯ରୁ ୱେଲିଂଟନର ବେସିନ୍ ରିଜର୍ଭରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କେବଳ ଦଳର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ୍ ଆଶା ନୁହେଁ, ବରଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରେଡ୍-ବଲ୍ ରଣନୀତି ଓ ବିଶ୍ୱସନୀୟତା ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଡବ୍ଲ୍ୟୁଟିସି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ଥିବା ଭାରତ ହାତରେ ଆଉ ମାତ୍ର ୭ଟି ଟେଷ୍ଟ ମ୍ୟାଚ୍ (ନ୍ୟୁଜିଲାଣ୍ଡରେ ୨ଟି ଏବଂ ଆସନ୍ତାବର୍ଷ ଘରୋଇ ମାଟିରେ ବର୍ଡର-ଗାଭାସ୍କର ଟ୍ରଫିର ୫ଟି ମ୍ୟାଚ୍) ବାକି ଅଛି । ଫାଇନାଲ୍ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଭାରତକୁ ଏହି ସିରିଜ୍ ଜିତିବା କିମ୍ବା ଅତି କମ୍‌ରେ ପରାଜୟ ଏଡ଼ାଇବା ଜରୁରୀ । ସୀମିତ ଓଭର ଟୁର୍ଣ୍ଣାମେଣ୍ଟରେ ସଫଳତା ସତ୍ତ୍ୱେ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତର ଟେଷ୍ଟ ପ୍ରଦର୍ଶନ ନୈରାଶ୍ୟଜନକ ଅଛି।

ଜୁଲାଇ ୨୦୨୪ରେ ଦାୟିତ୍ୱ ନେବା ପରଠାରୁ ଭାରତ ଖେଳିଥିବା ୭ଟି ବଡ଼ ଟେଷ୍ଟ ସିରିଜ୍ ମଧ୍ୟରୁ ୩ଟି ଜିତିଛି (ବାଂଲାଦେଶ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା) ଏବଂ ୩ଟି ହାରିଛି (ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହ୍ୱାଇଟୱାଶ୍ ଏବଂ ଅଷ୍ଟ୍ରେଲିଆରେ ପରାଜୟ),ଇଂଲଣ୍ଡରେ ସିରିଜ୍ ଡ୍ର ରହିଥିଲା । ୨୦୨୪ ଘରୋଇ ପରାଜୟର ପ୍ରତିଶୋଧ ନେବାରେ ବିଫଳ ହେଲେ ଗମ୍ଭୀରଙ୍କ ଟେଷ୍ଟ କୋଚିଂକୁ ନେଇ ପ୍ରଶ୍ନବାଚୀ ଆହୁରି ତୀବ୍ର ହେବ । କୁଲଦୀପ ଯାଦବଙ୍କ ସ୍ଥାନରେ ଷଷ୍ଠ ପେସ୍ ବୋଲର ଭାବେ ଦଳରେ ସାମିଲ ହୋଇଥିବା ଯୁବ ଦ୍ରୁତ ବୋଲର ଗୁରୁନୁର ବ୍ରାରଙ୍କୁ ମହମ୍ମଦ ସିରାଜ କିମ୍ବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଦଳରେ ପ୍ଲେଇଙ୍ଗ୍ ଢଓରେ ସୁଯୋଗ ମିଳୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସୋମବାର ୱେଲିଂଟନରେ ପ୍ରବଳ ପବନ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଉଭୟ ଦଳ ସୁରକ୍ଷିତ ଭାବେ ପହଞ୍ଚିଛନ୍ତି । ମଙ୍ଗଳବାର (ନଭେମ୍ବର ୧୭) ଅଧିନାୟକ ଶୁଭମନ ଗିଲ୍ ଓ କୋଚ୍ ଗମ୍ଭୀରଙ୍କ ନେତୃତ୍ୱରେ ପୂରା ୧୬ ଜଣିଆ ସ୍କ୍ୱାଡ୍‌ର ଏକମାତ୍ର ପୂର୍ଣ୍ଣାଙ୍ଗ ଅଭ୍ୟାସ ସେସନ୍ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *