Dnk Live News- ଏକାସାଙ୍ଗରେ ପୁରୀ ସ୍ବର୍ଗଦ୍ବାରରେ ଜଳିଲା ୭ଟି ଜୁଇ । ମଧ୍ୟପ୍ରଦେଶରେ ମୃତ ୭ ଓଡ଼ିଆଙ୍କ ଶେଷକୃତ୍ୟ ସମ୍ପନ୍ନ । ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର । ମଧ୍ୟପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପାର୍ଥିବ ଶରୀର ରବିବାର ବିଳମ୍ବିତ ରାତି ପ୍ରାୟ ୧୨.୩୫ ମିନିଟରେ ରାଜଧାନୀ ଭୁବନେଶ୍ୱରର ଜୟଦେବବିହାର ଠାରେ ପହଞ୍ଚିଥିଲା ।
ମରଶରୀର ପହଞ୍ଚିବା କ୍ଷଣି ସମଗ୍ର ଅଞ୍ଚଳରେ ଏକ ହୃଦୟ ବିଦାରକ ଏବଂ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜୟଦେବ ବିହାରରୁ ଗାଢ଼କଣ ଦେଇ ଶେଷକୃତ୍ୟ ପାଇଁ ମୃତଦେହଗୁଡ଼ିକୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଛି, ଯେଉଁଠାରେ ବୈଦିକ ରୀତିନୀତି ଅନୁଯାୟୀ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ମଧ୍ୟପ୍ରଦେଶରୁ ୩ଟି ଆମ୍ବୁଲାନ୍ସ ଯୋଗେ ମରଶରୀର ଗାଁରେ ପହଞ୍ଚିବା ମାତ୍ରେ ପରିବାରବର୍ଗ ଏବଂ ଆତ୍ମୀୟସ୍ୱଜନଙ୍କ କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡ଼ିଥିଲା । ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ବି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଶିବଙ୍କ ପତ୍ନୀ ସ୍ୱାମୀଙ୍କୁ ହରାଇ ସମ୍ପୂର୍ଣ୍ଣ ନିର୍ବାକ ତଥା ପଥର ପାଲଟି ଯାଇଥିବା ବେଳେ, ବାପାଙ୍କୁ ହରାଇଥି ଝିଅ, ଭାଣେଜୀ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଥିଲେ । ଆମ୍ବୁଲାନ୍ସରୁ ଗୋଟିଏ ପରେ ଗୋଟିଏ ମୃତଦେହ ସ୍ଥାନୀୟ ଅଞ୍ଚଳର ୪ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ସ୍ଥାନାନ୍ତରିତ କରାଯିବା ବେଳେ ଭିଡ଼ ଏବଂ କୋହକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ କଷ୍ଟକର ହୋଇପଡ଼ିଥିଲା ।















Leave a Reply