Dnk live News – ରଥ ଉପରେ ଆଜି ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ ଦେଖିବାକୁ ମିଳିବ। ଶ୍ରୀକ୍ଷେତ୍ରକୁ ଏଥିପାଇଁ ଛୁଟିଛି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ। କିନ୍ତୁ ଭକ୍ତିଭାବରେ ବିଭୋର ହୋଇ ପୁରୀ ଅଭିମୁଖେ ବାହାରିଥିବା ଶ୍ରଦ୍ଧାଳୁଙ୍କୁ ବାଟରେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରବଳ ଜନସମାଗମ ଏବଂ ଶନିବାର ଛୁଟିଦିନ ଥିବାରୁ ଏବେ ପୁରୀ ମୁହାଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଅତ୍ୟଧିକ ଗାଡ଼ିମୋଟର ଚଳାଚଳ ଯୋଗୁଁ ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି, ଯାହା ଫଳରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଛନ୍ତି।
ସୂଚନା ଅନୁଯାୟୀ, ଶନିବାର ଭୋରରୁ ହିଁ ପୁରୀ ଅଭିମୁଖେ ଯାନବାହନ ସଂଖ୍ୟାରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। ସ୍ଥିତି ଏପରି ହୋଇଥିଲା ଯେ ସକାଳ ୭ଟା ୩୦ ସୁଦ୍ଧା ସହର ଭିତରେ ଥିବା ପ୍ରାୟ ୬,୫୦୦ ଗାଡ଼ି ରଖିବା କ୍ଷମତା ବିଶିଷ୍ଟ ସମସ୍ତ ନିର୍ଦ୍ଧାରିତ ପାର୍କିଂ ସ୍ଥଳ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଯାଇଛି।
ଟ୍ରାଫିକ୍ ପରିଚାଳନା ପୋଲିସ ପ୍ରଶାସନ ପାଇଁ ଏକ ବିରାଟ ଆହ୍ୱାନ ପାଲଟିଛି। ବିଶେଷ କରି ମାଳତୀପାଟପୁର, ବାଟଗାଁ ଏବଂ ମଙ୍ଗଳାଘାଟ ଛକ ନିକଟରେ କିଲୋମିଟର ଧରି କେବଳ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଯେଉଁ ରାସ୍ତା ଅତିକ୍ରମ କରିବାକୁ ମାତ୍ର କିଛି ମିନିଟ୍ ଲାଗେ, ସେଠାରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲୋକଙ୍କୁ ଛିଡ଼ା ହେବାକୁ ପଡ଼ୁଛି।















Leave a Reply