ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ନେତୃତ୍ବ ନେବେ ଶୁବମନ୍ ଗିଲ୍ । ଦୁଇ ଷ୍ଟାର ଖେଳାଳି ବିରାଟ ଏବଂ ରୋହିତ ଶର୍ମା ଦଳରେ ସାମିଲ ହୋଇଥିଲେ ମଧ୍ୟ ସେମାନେ ଶୁବମନଙ୍କ ନେତୃତ୍ବରେ ଖେଳିବେ । ଅର୍ଥାତ ଟେଷ୍ଟ ପରେ ଦିନିକିଆରେ ବି ଗିଲ୍ ଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ରୋହିତଙ୍କୁ ଏଥିରୁ ବାଦ୍ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଗରକରଙ୍କ ନେତୃତ୍ୱାଧୀନ ସିନିୟର ପୁରୁଷ କ୍ରିକେଟ ଚୟନ କମିଟି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ସରିବା ପରେ ଦଳ ଅଷ୍ଟ୍ରେଲିଆ ଯାତ୍ରା କରିବ । ଯେଉଁଠାରେ ସେମାନେ ତିନିଟି ଏକଦିବସୀୟ ଏବଂ ପାଞ୍ଚଟି ଟି-୨୦ ଖେଳିବ । ଅକ୍ଟୋବର ୧୯ରେ ଖେଳାଯିବ ପ୍ରଥମ ଏକଦିବସୀୟ ମ୍ୟାଚ ।

ତେବେ ଦଳକୁ ଫେରିବାକୁ ଅନେକ ଦିନ ଧରି ଅପେକ୍ଷା କରିଥିବା ଶ୍ରେୟସ ଆୟରଙ୍କୁ ସିରିଜ ପାଇଁ ଉପ-ଅଧିନାୟକ ଚୟନ କରାଯାଇଛି । ଦଳରେ ଷ୍ଟାର ବୋଲର ବୁମରା ଏବଂ ଆହତ କାରଣରୁ ଅଲରାଉଣ୍ଡର ପାଣ୍ଡ୍ୟା ନାହାନ୍ତି । ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜ ବୋଲିଂ ଦାୟିତ୍ୱ ତୁଲାଇବେ । ଅର୍ଶଦୀପ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ସ୍ଥାନ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ହର୍ଷିତ ରାଣା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ । ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଅକ୍ଟୋବର ୧୯ରେ ପ୍ରଥମ ଏକଦିବସୀୟ ଖେଳିବାକୁ ଥିବାବେଳେ ୨୩ ଏବଂ ୨୫ରେ ଦ୍ବିତୀୟ ଏବଂ ତୃତୀୟ ମ୍ୟାଚ ଖେଳିବ । ଏହା ପରେ ରହିଛି 5ଟି ଟି-20 । ତେବେ ଗିଲ୍ ଙ୍କ ରଣନୀତି କଙ୍ଗାରୁ ମାଟିରେ କେତେଦୂର ସଫଳ ହେଉଛି ତାହା ଦେଖିବାର କଥା ।
