DNK LIVE NEW- ବିରାଟ କୋହଲି ପୁଣିଥରେ ODI କ୍ରିକେଟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ICC ODI ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ପାଖାପାଖି ୪ ବର୍ଷ ପରେ କିଙ୍ଗ କୋହଲି ପୁଣି ଥରେ ODIରେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୋହଲିଙ୍କ ୯୧ ବଲ୍ ରୁ ୯୩ ରନର ଇନିଂସ ଭାରତୀୟ ଦଳକୁ ରନ ଚେଜ୍ କରିବାରେ ସାହାଯ୍ୟ କରିଥିଲା। ଯାହା ଫଳରେ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଆଉ ଏବେ କୋହଲି ODIରେ ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇ ନିଜର ଶ୍ରେଷ୍ଠତା ପୁଣି ହାସଲ କରିଛନ୍ତି ।

ଅଷ୍ଟ୍ରେଲିଆରେ ୫୦ ଓଭର ସିରିଜ୍ ପରଠାରୁ କୋହଲି ତାଙ୍କ ଶେଷ ୫ ଇନିଂସରେ ୭୪ ଅପରାଜିତ, ୧୩୫, ୧୦୨, ୬୫ ଅପରାଜିତ ଏବଂ ୯୩ ରନ କରିଛନ୍ତି । ୩୭ ବର୍ଷୀୟ କୋହଲି ଜୁଲାଇ ୨୦୨୧ ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ରାଙ୍କିଙ୍ଗର ଶୀର୍ଷକୁ ଫେରିଛନ୍ତି ।
ଅପରପକ୍ଷରେ କୋହଲି ପ୍ରଥମ ଥର ପାଇଁ ଅକ୍ଟୋବର ୨୦୧୩ରେ ଏକଦିବସୀୟ ମ୍ୟାଚ୍ରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଏପର୍ଯ୍ୟନ୍ତ କୋହଲି ମୋଟ ୮୨୫ ଦିନ ଧରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଖେଳାଳି ଭାବେ ସର୍ବାଧିକ ସମୟ ପାଇଁ ନମ୍ବର-୧ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୧୦ମ ସ୍ଥାନରେ ଅଛନ୍ତି କୋହଲି ।
